କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଓ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ । ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରିଚାଳନା ଦିଗରେ ଏହା ବେଶ ସହାୟକ ହେଉଛି । ଏହି କଲ୍ ସେଣ୍ଟର ଗୁଡ଼ିକରେ ଡାକ୍ତରମାନେ ଉପସ୍ଥିତ ରହି କୋଭିଡ୍ ଏବଂ ଅଣ କୋଭିଡ୍ ରୋଗୀଙ୍କୁ ସିଧାସଳଖ ଚିକିତ୍ସା ଓ ପରାମର୍ଶ ଦେଉଛନ୍ତି ।

 

ରାଜ୍ୟ ସରକାରଙ୍କ ମୋ’ ସରକାର ଓ ୫-ଟି ଅଭିଯାନ ଅଧୀନରେ ପ୍ରଶାସନିକ ସ୍ବଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହା ଅଧୀନରେ ସୁନ୍ଦରଗଡ଼ ଓ ରାଉରକେଲାରେ ଦୁଇଟି ୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲାଯାଇଛି । ଜନସାଧାରଣ ଏହି କଲ୍ ସେଣ୍ଟରକୁ କଲ୍ କରି ବିଭିନ୍ନ ସେବା ସମ୍ପର୍କରେ ସୂଚନା ପାଇବା ସହ ଅଭିଯୋଗ ଦାଖଲ କରିପାରୁଛନ୍ତି ।

 

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ହେଲ୍ପଲାଇନ୍ ପ୍ରତିଷ୍ଠା କରାଯାଇଛି । ଯାହାର ନମ୍ବର ହେଉଛି ୧୮୦୦ ୩୪୫ ୭୪୬୧ ଏବଂ ୦୧୧ ୪୧୧୮୨୧୩୮ । ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ ଜାରି କରାଯାଇଛି । କୋଭିଡ୍ ସମୟରେ ଲୋକଙ୍କ ସୁବିଧା ପାଇଁ ଉଭୟ ହେଲ୍ପଲାଇନରେ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି । ଏଠାରେ ମେଡିସିନ୍ ବିଭାଗ ସହ ମାନସିକ ରୋଗ ବିଭାଗର ଡାକ୍ତର ଉପସ୍ଥିତ ରହି ଲୋକଙ୍କୁ ଫୋନ୍ ମାଧ୍ୟମରେ ନିୟମିତ ସ୍ୱାସ୍ଥ୍ୟ ପରାମର୍ଶ ଦେଉଛନ୍ତି ।

 

ଗୃହ ସଂଗରୋଧରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ରାପିଡ ରେସପନ୍ସ ଟିମ୍ ବା ଆରଆରଟି ସାରା ଜିଲ୍ଲାରେ କାମ କରୁଛି । ହେଲ୍ପଲାଇନ୍ ଟିମ୍ ରୋଗୀଙ୍କ ସହ ଯୋଗାଯୋଗ କରି ଏହି ସେବାକୁ ସୁନିଶ୍ଚିତ କରିବାରେ ସହାୟକ ହେଉଛନ୍ତି । ତେଣୁ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ କୌଣସି ଜରୁରୀ ଆବଶ୍ୟକତା ବେଳେ ହେଲ୍ପଲାଇନକୁ କଲ୍ କରି ସହାୟତା ନେଇ ପାରୁଛନ୍ତି ।

 

କୋଭିଡ୍ ମହାମାରୀ ସମୟରେ ସୁନ୍ଦରଗଡ଼ ଓ ରାଉରକେଲା ହେଲ୍ପଲାଇନ ଲେକଙ୍କ ସୁବିଧା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସେହିପରି ମହାନଗରବାସୀଙ୍କ ପାଇଁ ୨୪ ଘଣ୍ଟା ହେଲ୍ପଲାଇନ ଖୋଲା ରହିବା ସହ ରୋଗୀମାନେ ଡାକ୍ତରଙ୍କଠାରୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେଉଛନ୍ତି ବୋଲି କକହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

Leave A Reply

Your email address will not be published.