ଫ୍ରିଜ୍ ଫାଟି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

0

କେନ୍ଦୁଝର : ଫ୍ରିଜ୍ ଫାଟି ବିସ୍ଫୋରଣ ହୋଇ ଲାଗିଗଲା ନିଆଁ । ଦମ୍ପତି ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

 

ମୃତ ଦମ୍ପତି ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ଘରେ ଥିବା ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଫ୍ରିଜ୍ ବିସ୍ଫୋରଣ ଘଟି ନିଆଁ ଲାଗଯିବାରୁ ଉଭୟ ପୋଡ଼ି ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ସନ୍ଦେହ କରାଯାଉଛି । ଖବର ପାଇ ବାମେବାରୀ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ କିଭଳି ପରିସ୍ଥିତିରେ ଏହି ଦୁଃଖଦ ଘଟଣା ଘଟିଗଲା ସେ ନେଇ ପୋଲିସ୍ ଛାନଭିନ୍ ଚଳାଇଛି ।

 

ପୂର୍ଣ୍ଣଚନ୍ଦ୍ର ଦେହୁରୀ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ସାନ ପୁଅ ବରୁଣ ଏହି ଘରେ ଶୋଇଥିବା ବେଳେ ରାତିରେ ହଠାତ୍ ଫ୍ରୀଜରେ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ହେବା ସମୟରେ ପାଖ ପଡ଼ିଶା ଲୋକେ ମଧ୍ୟ ଏହାର ଶଦ୍ଦ ଶୁଣିଥିବା କହିଛନ୍ତି । ତେବେ ୯ ବର୍ଷର ସାନପୁଅ ବରୁଣ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତିଯାଇଥିଲା ।

 

ବରୁଣ ଯାଇ ନିଜ ବଡ଼ଭାଇକୁ ସୂଚନା ଦେବା ପରେ ପାଖ ପଡ଼ିଶା ଲୋକଙ୍କ ସହ ମିଶି ଦମ୍ପତିଙ୍କୁ ବଂଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ସମସ୍ତେ । ଉଭୟ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ନିଆଁ ସଂସ୍ପର୍ସରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବାମେବାରୀ ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.