ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

0

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ରାସ୍ତାରୋକ କରିଛନ୍ତି ।

ଯାହାକୁ ନେଇ ସରକାରୀ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଅଟକି ରହିଛି । ଡ୍ରାଇଭର ଧର୍ମଘଟ ଜାରି ରଖିଥିବା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଆଇନକୁ ହାତକୁ ନେବା ଗ୍ରହଣୀୟ ହେବ ନାହିଁ । ସର୍ବସାଧାରଣ ଓ ଘରୋଇ ସମ୍ପତ୍ତିକୁ ନଷ୍ଟ କରିବା, କୌଣସି ବ୍ୟକ୍ତିଙ୍କୁ ଆଘାତ କରିବା ଠିକ୍ ନୁହେଁ ।

ଧର୍ମଘଟ, ରାସ୍ତାରୋକ ସମୟରେ କିଛି ଅଣଡ୍ରାଇଭର ପଶୁଥିବା ଖବର ଆସୁଛି । ଯେଉଁମାନଙ୍କ ଉଦ୍ଦେଶ୍ୟ ଡ୍ରାଇଭରଙ୍କ ଦାବିକୁ ସମର୍ଥନ ନୁହେଁ । ଏହି ସୁଯୋଗରେ କିଛି ହିଂସା ଓ ଅଘଟଣ ଘଟାଇବା । ଏଥିପ୍ରତି ସଂଘ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ୩ ମାସ ମଧ୍ୟରେ ପାଳନ କରାଯିବ କହି ଧର୍ମଘଟରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଡିଜିପି ସୁନୀଲ ବଂଶଲ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭରଙ୍କ ଆନ୍ଦୋଳନ ଠିକ୍ ନୁହେଁ । ଗତକାଲି ଆନ୍ଦୋଳନ ସମୟରେ ଆକ୍ରମଣ ହୋଇଛି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶାନ୍ତି ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆନ୍ଦୋଳନ ଯୋଗୁଁ ଲୋକେ ଅସୁବିଧାରେ ପଡ଼ୁଛନ୍ତି, କିଛି ଲାଭ ହେଉନି । ସଂଘ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଛନ୍ତି ପୋଲିସ ଡିଜି । ନହେଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ।

Leave A Reply

Your email address will not be published.