୩ ମାସରେ ଜେପି ନଡ୍ଡାଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ, ୨୮ରେ ଆସିବେ

0

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆସନ୍ତା ୨୮ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଶ୍ରୀ ନଡ୍ଡାଙ୍କର ଗତ ୩ ମାସ ମଧ୍ୟରେ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ଶାସକ ବିଜେଡି ଆସନ୍ତା ୨୬ତାରିଖରେ ପୁରୀରେ ନିଜର ପ୍ରତିଷ୍ଠା ଦିବସ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଶ୍ରୀ ନଡ୍ଡା ୨୮ରେ ପୁରୀ ଗସ୍ତ କରିବା ରାଜନୀତିକ ବାତାବରଣକୁ ଉଷ୍ମ କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୮ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ଶ୍ରୀ ନଡ୍ଡା ପୁରୀ ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ସାମିଲ ହେବେ । ସଂଗଠନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ନଡ୍ଡା ଦଳର କର୍ମକର୍ତ୍ତାମାନଙ୍କ ସହ ବି ଆଲୋଚନା କରିବେ । ଏଥିସହିତ ଗତ ୮ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାରଙ୍କ ଓଡ଼ିଶା ଓ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଲାଗୁ ହୋଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ମଧ୍ୟ କରିବେ । ତୃଣମୂଳସ୍ତରରେ ମୋଦି ସରକାରଙ୍କ ଯୋଜନାର ସୁଫଳ କିଭଳି ପହଂଚାଇ ହେବ ସେ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଦ୍ୱିତୀୟ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଗତ ସେପ୍ଟେମ୍ବର ୨୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ଶକ୍ତି କେନ୍ଦ୍ର ପ୍ରମୁଖମାନଙ୍କ ସହ ବୈଠକ କରିଥିଲେ ।

Leave A Reply

Your email address will not be published.